ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରୀରେ ହାଣିଲା ସ୍ଵାମୀ

0

କରଞ୍ଜିଆ : ପରକୀୟା ପ୍ରୀତିର କରୁଣ ପରିଣତି। ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରୀରେ ହାଣିଲା ସ୍ଵାମୀ। ଫଳରେ ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରବଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଦୁଧିଆଣି ଗ୍ରାମପଞ୍ଚାୟତ ବୁଢ଼ୀଗାଁ ଗ୍ରାମରେ।

ସୂଚନାନୁଯାୟୀ, ବୁଢ଼ୀଗାଁ ଗ୍ରାମର ରୁପା ହେମ୍ବ୍ରମ ୩ ବର୍ଷ ପୂର୍ବେ ପାର୍ବତୀ ହେମ୍ବ୍ରମକୁ ବିବାହ କରିଥିଲେ। ରୁପା ହେମ୍ବ୍ରେମ ଦୁଧିଆଣି ରେଞ୍ଜ ମହାବୀରଶାଳ ସେକ୍ସନ କାର୍ଯ୍ୟାଳୟ ଅନ୍ତର୍ଗତ ରିଜର୍ଭ ଜଙ୍ଗଲରେ ବନବିଭାଗ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଦିନବେଳା ଘର ଲୋକେ ଅନୁପସ୍ଥିତ ରହୁଥିବା ସୁଯୋଗ ନେଇ ଉକ୍ତ ଗ୍ରାମର ଫୁଟେ ଦେହୁରୀ ନାମକ ଜଣେ ଯୁବକ ପାର୍ବତୀକୁ ଭଲ ପାଇ ତାକୁ ଦ୍ଵିତୀୟ ବିବାହ କରିବା ପାଇଁ ରାଜି କରାଇଥିଲା । ଏ ସମ୍ଭନ୍ଧରେ ରୁପା ଆଦୌ ଜାଣିନଥିଲେ । ଏପରିକି ପାର୍ବତୀ ଗର୍ଭବତୀ ଥିବା ସେ ଜାଣିଥିଲେ ।

ଗତ ବୁଧବାର ଦିନ ଅପରାହ୍ନ ସମୟରେ ରୁପା ଘରେ ଥିବା ସମୟରେ ଗ୍ରାମର କିଛି ଲୋକଙ୍କ ଉପସ୍ଥିତିରେ ଫୁଟେ ପାର୍ବତୀକୁ ନେଇ ପଳାଇଯାଇଥିଲା ।ଏଇ ଘଟଣା ପରେ ପାର୍ବତୀ ନିଜ ଇଚ୍ଛାରେ ଯାଇଥିବା ଜାଣି ରୁପା ଚୁପ ରହିଥିଲା। ଶୁକ୍ରବାର ଦିନ ପାର୍ବତୀର ଗର୍ଭକୁ ନଷ୍ଟ କରିଦେଇଥିବା ନେଇ ଫୁଟେ ରୂପାକୁ କହିବାପରେ ରୁପା ପ୍ରତିଶୋଧ ପରାୟଣ ହୋଇଉଠିଥିଲା ।ଏହାସହ ସୋମବାର ରାତିରେ ପାର୍ବତୀ ଓ ଫୁଟେ ଶୋଇଥିବା ସମୟରେ ରୁପା ଏକ କଟୁରୀ ଦ୍ୱାରା ସେମାନଙ୍କୁ ଆକ୍ରମଣ କରିଥିଲା ।ପାର୍ବତୀର ଓଠ ଓ ଡାହାଣ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଘଟଣା ସ୍ଥଳରେ ଫୁଟେ ମୃତ୍ୟୁବରଣ କରିଥିଲା ।

ଖବରପାଇ କରଞ୍ଜିଆ ପୋଲିସ ଓ ଉପଖଣ୍ଡ ପୁଲିସ ଅଧିକାରୀ ସଦଳବଳେ ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିବା ସହ ଅଭିଯୁକ୍ତ ରୂପାକୁ ଗିରଫ କରିଛି ।ଏନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.