ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

0

ବାଲିକୁଦା: ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ରାତିସାରା ମୃତଦେହ ପାଖରେ ଶୋଇ ରହିଲା । ଏପରି ଘଟଣା ଜଗତସିଂହପୁର ବାଲିକୁଦା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ସ୍ୱାମୀ ପ୍ରତିଦିନ ପ୍ରଚୁର ମଦ୍ୟପାନ କରିବା ସହ ବ୍ରାଉନ୍‌ସୁଗର୍‌ ଓ ଅନ୍ୟ ନିଶା ସେବନ କରି ଘରକୁ ଫେରୁଥିଲା । ଯାହାକୁ ପତ୍ନୀ ବିରୋଧ କରୁଥିଲେ । ଶେଷକୁ ମଦ ନିଶାରେ ହିତାହିତ ଜ୍ଞାନ ଭୁଲି ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଦେଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା ଥାନା ଅଢଙ୍ଗା ପଞ୍ଚାୟତ ଦେବଗ୍ରାମ ଗାଁରେ । ହତ୍ୟାର ଶିକାର ହୋଇଛନ୍ତି ଅଳାଭର ପଞ୍ଚାୟତ ରଣପୁର ଗାଁର ରମେଶ ପାଣିଙ୍କ ଝିଅ ଲିଜା ଓରଫ ଲିଜାଲିନ୍‌ ପାଣି (୩୦) । ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି ଲିଜାଲିନ୍‌ଙ୍କ ବାପା ରମେଶ । ପୁଲିସ ସ୍ୱାମୀ ଶୁଭେନ୍ଦୁ ସ୍ୱାଇଁକୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଆଳିପିଙ୍ଗଳ ଉପକାରାଗାରକୁ ପଠାଇ ଦିଆଯାଇଛି ।

ପ୍ରାପ୍ତ ସୂଚନା ଅନୁସାରେ, ଦେବଗ୍ରାମ ଗାଁର ବିଷ୍ଣୁଚରଣ ସ୍ୱାଇଁଙ୍କ ପୁଅ ବାବୁ ଓରଫ ଶୁଭେନ୍ଦୁ(୩୫) ଓ ଲିଜା ଓରଫ ଲିଜାଲିନ୍‌ ପରସ୍ପରକୁ ପ୍ରେମ କରୁଥିଲେ । ବ୍ରାହ୍ମଣ ହୋଇଥିବାରୁ ଲିଜାଙ୍କ ପରିବାର ଲୋକେ ଝିଅର ବିବାହ ଦେବାକୁ ରାଜି ହୋଇନଥିଲେ । ବାପା-ଭାଇଙ୍କ କଥାରେ ଲିଜା ୫ ବର୍ଷ ତଳେ ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧୀନ ବରଦିଆ ଗାଁରେ ବିବାହ କରିଥିଲେ । ମାତ୍ର ଶାଶୂଘରେ ମନ ନମାନିବାରୁ ବିବାହର ୨ ବର୍ଷ ପରେ ସେଠାରୁ ସେ ଚାଲି ଆସିଥିଲେ । ଏହାର ଦୁଇ ବର୍ଷ ପରେ, ଗତ ବର୍ଷ ଜୁଲାଇ ୭ରେ ପୁରୁଣା ପ୍ରେମିକ ଶୁଭେନ୍ଦୁ ସହ ଲିଜାଙ୍କର ନାଗପୁର ଜାଗୁଳାଇ ମନ୍ଦିରରେ ବିବାହ ହୋଇଥିଲା। ସେତେବେଳକୁ ଲିଜା କେନ୍ଦ୍ରାପଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଓଏମ୍‌ଭିଡି ପୁଲିସ ଭାବେ ନିଯୁକ୍ତି ପାଇ ସାରିଥିଲେ । ବିବାହ ପରେ ଉଭୟ ଭଲରେ ଚଳି ଆସୁଥିଲେ । ହେଲେ ସ୍ୱାମୀ ପ୍ରଚୁର ମଦ୍ୟପାନ କରିବା ସହ ବ୍ରାଉନ୍‌ସୁଗର୍‌ ଖାଉଥିଲେ, ଯାହାର ପ୍ରତିବାଦ କରି ଆସୁଥିଲେ ଲିଜା ।

ଗତ ଶନିବାର ରାତିରେ ଲିଜାଙ୍କର ରହସ୍ୟମୟ ଭାବେ ମୃତ୍ୟୁ ଘଟିଛି । ରାତି ପ୍ରାୟ ୩ଟାରେ ଲିଜା ନିଜ ଶୋଇବା ଘର ଫ୍ୟାନ୍‌ରେ ଲୁଗା ପଣତକୁ ବେକରେ ଛନ୍ଦି ଆତ୍ମହତ୍ୟା କରିଥିବା ଓ ସ୍ୱାମୀ ଶୁଭେନ୍ଦୁ ଫ୍ୟାନରୁ ପଣତକୁ ଦା’ରେ କାଟି ମୃତଦେହ ତଳକୁ ଓହ୍ଲାଇଥିବା ନିଜେ ଶୁଭେନ୍ଦୁ ପୁଲିସ ଆଗରେ କହିଛି । ହେଲେ ନା ସେ ପତ୍ନୀଙ୍କୁ ଡାକ୍ତରଖାନା ନେଇଥିଲା ନା ଏ ସଂପର୍କରେ ଅନ୍ୟ କାହାରିକୁ ଜଣାଇଥିଲା । କେବଳ ସେତିକି ନୁହେଁ, ସେ ପୁଣି ନିଶା ଖାଇ ସ୍ତ୍ରୀର ଶବ ପାଖରେ ଖଟରେ ରାତି ସାରା ଶୋଇଯାଇଥିଲା । ସକାଳେ ପୁଲିସ ଟିମ୍‌ ଖବର ପାଇ ତଦନ୍ତ କରିବାକୁ ଯାଇ ଶୁଭେନ୍ଦୁକୁ ଉଠାଇଥିଲା ଓ ଥାନାକୁ ଆଣି ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଥିଲା । ଝିଅର ମୃତ୍ୟୁ ଖବର ପାଇ ବାପା ରମେଶ ବାଲିକୁଦା ଥାନାରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । କିନ୍ତୁ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ଜ୍ଞାତି କୁଟୁମ୍ବଙ୍କ ଭିତରୁ ଅନେକ ଶେଷକୃତ୍ୟରେ ସାମିଲ ହୋଇନଥିଲେ । ଶେଷରେ ବନ୍ଧୁ ବାନ୍ଧବ ଡକାଇ ସତ୍କାର କରାଯାଇଥିଲା । କେବଳ ସେତିକି ନୁହେଁ ବୋହୂର ମରଶରୀରକୁ ମଶାଣିରେ ଅପରାହ୍ଣ ୫ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୀର୍ଘ ୫ ଘଣ୍ଟା କାଳ ଜଗି ରହିଥିଲେ ନିଜେ ଶଶୁର । ଯାହା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ।

Leave A Reply

Your email address will not be published.