କାମାକ୍ଷାନଗର : ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରେ । ଗ୍ରାମର ମହେଶ୍ବର ଦାସଙ୍କର ୨ ମାସର ଝିଅ ବୁଧବାର ଟିକା ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧ଟା ୩୦ ବେଳକୁ ଦୁଇ ବୁନ୍ଦା ପୋଲିଓ ଏବଂ ରୋଟାଭାଇରସ୍, ପେଣ୍ଟାଭାଇରସ୍ ଓ ନୂତନ ଭାବେ ଆସିଥିବା ପିସିବିର ପ୍ରଥମ ଡୋଜ୍ ଟିକା ନେଇଥିଲେ।
ଟିକା ନେଇ ଘରକୁ ଫେରିବା ପରେ ଶିଶୁଟି ଶୋଇପଡିଥିଲା। ତାପରେ ସନ୍ଧ୍ୟା ବେଳକୁ ଉଠାଇଲା ବେଳକୁ ତାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଇପଡିଥିଲା । ଆଶା ଦିଦିକୁ ଡାକି ରାତିରେ ପରିବାର ଲୋକେ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ପରିବାର ତରଫରୁ ଟିକା ନେବା ପରେ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ଦାବି କରୁଛନ୍ତି । ତେଣୁ ଡାକ୍ତର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି ।