ତିନି ଦିନ ଦେଲା ଉତ୍ପାତ କରୁଛନ୍ତି ହାତୀପଲ

0

ନୟାଗଡ,: ନୟାଗଡ ଜିଲ୍ଲା ପଞ୍ଚିରିଡା ରେଞ୍ଜ୍ ଦୟଣାଝରୀ ଗାଁ ନିକଟରେ ତିନିଦିନ ହେଲା ହାତୀପଲ ଉପଦ୍ରବ ଚଳାଇଛନ୍ତି । ଏଠାରେ ଚାଷୀମାନେ କରିଥିବା ବାଇଗଣ, ଝୁଲଣ ଆଦି ଫସଲକୁ ହାତୀପଲ ନଷ୍ଟ କରିଦେଇଛନ୍ତି । ସେପଟେ ଅତିଶୀଘ୍ର କ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୁରଣ ଦିଆଯିବା ସହ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ଡି.ଏଫ.ଓ. କହିଛନ୍ତି ।

ଧାର ଉଧାର କରି ଫସଲ କରିଥିଲେ । ହେଲେ ଫଳ ଆରମ୍ଭ ହେଲାବେଳକୁ ହାତୀ ପଲ ଆସି ସବୁ ସ୍ଵପ୍ନକୁ ଚୁର୍‌ମାର୍‌ କରିଦେଇଛନ୍ତି । ଋଣ କିପରି ସୁଝିବେ ସେହି ଚିନ୍ତାରେ ଏବେ ନୟାଗଡ ଜିଲ୍ଲା ପଞ୍ଚିରିଡା ରେଞ୍‌ର ଦୟଣାଝରୀ ଗାଁର ଚାଷୀମାନେ । ଗତ ତିନିଦିନ ହେଲା ଦୁଇଟି ପଲରେ ପ୍ରାୟ ୧୨ଟି ହାତୀ ଆସି ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କଲେଣି । ଚାଷୀମାନେ କରିଥିବା ବାଇଗଣ , ଝୁଲଣ ଆଦି ପରିବା କିଆରୀରେ ପଶି ହାତୀ ପରିବା ଖାଇବା ସହ ବହୁ ଗଛ ଦଳିଦେଉଛନ୍ତି । କିଆରୀରେ ଜଗିବା ପାଇଁ କରାଯାଇଥିବା କୁଡିଆଗୁଡିକୁ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି ହାତୀପଲ । ଏପରିକି ବଜାରକୁ ପଠାଇବାପାଇଁ ବିଲରୁ ତୋଳି ରଖାଯାଇଥିବା ୫୦ରୁ ଅଧିକ ବାଇଗଣ ବସ୍ତାକୁ ଖାଇଦେଇଛନ୍ତି ଗଜରାଜ । ସ୍ଥାନୀୟ ଅଞ୍ଚଳର ୩୦ରୁ ଅଧିକ ଚାଷୀଙ୍କ ୨୫ଏକରରୁ ଅଧିକ ବାଇଗଣ କିଆରୀରେ ହାତୀମାନେ ଏଭଳି ଫସଲ ନଷ୍ଟ କରିଛନ୍ତି । ରାତିରେ ହାତୀମାନେ ଆସୁଥିବାରୁ ଚାଷୀ ଭୟରେ ସେହି ଅଞ୍ଚଳକୁ ଯାଇପାରୁନାହାଁନ୍ତି । ନିଆଁହୁଳା ଏବଂ ବାଣ ଫୁଟାଇଲେ ମଧ୍ୟ ହାତୀ ଶୁଣୁନଥିବା ଚାଷୀମାନେ କହିଛନ୍ତି । ସବୁ ବର୍ଷ ହାତୀମାନେ ଆସି ଏଭଳି କ୍ଷତି କରୁଥିଲେ ମଧ୍ୟ ବନବିଭାଗ କୌଣସି କ୍ଷତିପୁରଣ ଦେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ହାତୀ ଆସି ଫସଲ ନଷ୍ଟ କରୁଥିବା ବେଳେ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ହାତୀଙ୍କୁ ଘଉଡାଇବାପାଇଁ କେହି ବନକର୍ମଚାରୀ ଆସୁନଥିବା ଅଭିଯୋଗ ହେଉଛି। ସେପଟେ କିନ୍ତୁ ବନବିଭାଗ କର୍ମଚାରୀ ସୋମବାର ଗାଁକୁ ଯାଇ କ୍ଷତି ସହିଥିବା ଚାଷୀଙ୍କ ଠାରୁ ଆବେଦନ ଗ୍ରହଣ କରିଛି ଏବଂ ୧୫ ଦିନ ମଧ୍ୟରେ ସେମାନଙ୍କୁ କ୍ଷତିପୁରଣ ଦିଆଯିବବୋଲି ଡିଏଫ୍‌ଓ କହିଛନ୍ତି । ଏହାସହିତ ହାତୀଙ୍କ ଗତିବିଧୀ ଉପରେ ନଜର ରଖାଯାଇଛି ଏବଂ ହାତୀଙ୍କୁ ଘଉଡାଇବାପାଇଁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି ।

Leave A Reply

Your email address will not be published.