କୁଏତ ସିଟି : ଦୁନିଆର ବିଶାଳ ଟାୟାର ଗଦାରେ ଲାଗିଲା ଭୟଙ୍କର ନିଆଁ। ଏହାର ଦୃଶ୍ୟ ଭୟଭୀତ କରିବା ଭଳି ରହିଛି। ଏହି ଜାଗାରୁ ଏମିତି ଧୂଆଁ ଉଠୁଛି ଯେ, ମହାକାଶରୁ ମଧ୍ୟ ଏହାର ଦୃଶ୍ୟ ଦେଖିବାକୁ ମିଳିଛି। କୁଏତର ସୁଲେବିଆ ଅଞ୍ଚଳରେ ବାଲିଆ ମାଟିରେ ଖୋଳା ଯାଇଥିବା ବିଶାଳ ଗାଡରେ ପ୍ରାୟ ୭୦ ଲକ୍ଷ ଟାୟାର ପଡିଥିଲା। ଛଅ ଏକରରେ ପରିବ୍ୟାପ୍ତ ଏହି ଜାଗାରେ ନିଆଁ ଲାଗିବା ପରେ ଗାତରୁ ଉଠୁଥିବା ଧୂଆଁର ଚିତ୍ର ସାଟେଲାଇଟ୍ରେ କଏଦ ହୋଇଛି।
କୁଏତର କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ
କୁହାଯାଉଛି ଏହି ଟାୟାର କୁଏତ ଓ ଅନ୍ୟ ଦେଶର। ନିଜ ଦେଶରୁ ଟାୟାର ନେଇଯିବା ପାଇଁ କୁଏତକୁ ଟଙ୍କା ମଧ୍ୟ ଦିଆଯାଇଛି। ନଷ୍ଟ କରିବାର ଦାୟିତ୍ଵ ଚାରି କମ୍ପାନୀକୁ ଦିଆଯାଇଥିଲା। ଅନେକ ଲୋକ ଏମିତି ଦହନଶୀଳ ପଦାର୍ଥଙ୍କୁ ଏମିତି ଏକ ଦେଶରେ ଜମା କରିବା ଉପରେ ପ୍ରଶ୍ନ ଉଠିଛି। କାରଣ କୁଏତରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ରହିଥାଏ। କୁଏତ ସରକାର ମରୁଭୂମିରେ ଟାୟାର ଗୁଡିକୁ ନଷ୍ଟ କରିବା ଆରମ୍ଭ କରିଥିଲା। ହେଲେ ସେଥିରେ ନିଆଁ ଲଗାଇ ନଷ୍ଟ କରିବା ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି।
ଏହା ପୂର୍ବରୁ ୨୦୧୨ରେ କୁଏତର ଏକ ଅନ୍ୟ ଡାୟାର ଡମ୍ପିଂରେ ନିଆଁ ଲଗାଯାଇ ୫୦ ଲକ୍ଷ ଟାୟାର ନଷ୍ଟ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଭାଗ୍ୟ ଭଲ ଥିଲା ଯେ ପବନ ବିଷାକ୍ତ ଧୂଆଁକୁ ସମୁଦ୍ର ଆଡେ ବୁହାଇ ନେଇ ଯାଇଥିଲା। ଉଲ୍ଲେଖନୀୟ ଅନେକ ଦେଶ ପାଇଁ ବ୍ୟବହାର କରାଯାଉଥିବା ଟାୟାରକୁ ନଷ୍ଟ କରିବା ବଡ ସମସ୍ୟା ଭାବେ ଉଭା ହୋଇଛି। ଟାୟାର ଜଳିଲେ ସେଥିରୁ କାର୍ସିନୋଜୋନିକ ଡାଇଅକ୍ସାଇନ୍ସ ନିର୍ଗତ ହୋଇଥାଏ। ଏହି ପ୍ରଦୂଷକ ଆସ୍ଥାମା ଓ ଅନେକ ଗମ୍ଭୀର ସ୍ଵାସ୍ଥ୍ୟଗତ ସମସ୍ୟାକୁ ଜନ୍ମ ଦେଇପାରେ।