ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ

0

ଭୁବନେଶ୍ୱର: କରୋନା ସଂକ୍ରମଣ ଖସୁଛି । ଦ୍ୱିତୀୟ ଲହର ଭୟ କମୁଥିବା ବେଳେ ତୃତୀୟ ଲହର ଡର ମାଡ଼ି ଚାଲିଛି । ରାଜ୍ୟର ୭୦% ସେରୋ ସର୍ଭେ ସରିଛି । ବିଭିନ୍ନ ହସ୍ପିଟାଲରେ ବେଡ୍‌ ପ୍ରସ୍ତୁତ ଥିବା ବେଳେ ଔଷଧ ମହଜୁଦ୍‌ ରହିଛି । ଏହାର ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଟାସ୍କଫୋର୍ସ ଗଠନ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।

ବରଗଡ଼, ରାୟଗଡ଼ାରେ ୩୨ ଶଯ୍ୟା ବିଶିଷ୍ଟ ଶିଶୁ ୟୁନିଟ୍‌ ଖୋଲିବ । ଏଥିରେ ୨୦ଟି ଅକ୍ସିଜେନ୍‌ ବେଡ୍‌, ୮ ଏଚ୍‌ଡିୟୁ ଓ ୪ ଆଇସିୟୁ ବେଡ୍‌ ରହିବ । ସେହିଭଳି ୨୬ ଜିଲ୍ଲା ମୁଖ୍ୟାଳୟରେ ୪୨ ବେଡ୍‌ର ଶିଶୁ ୟୁନିଟ୍‌ ଖୋଲିବାକୁ ଥିବା ବେଳେ ୪ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୨୦ ବେଡ୍‌ର ହସ୍ପିଟାଲ ଖୋଲିବ । ରାଜ୍ୟରେ ୨୮ ଫିଲ୍ଡ ହସ୍ପିଟାଲ କରିବାକୁ ମଞ୍ଜୁରି ମିଳିଛି । ଏଥିପାଇଁ ୮/୯ ହଜାର ବର୍ଗଫୁଟ୍‌ର ଖୋଲା ଜାଗା ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି ।

ଛୋଟ ପିଲା ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ ମେଡିକାଲରେ ସବୁ ବ୍ୟବସ୍ଥା ହୋଇଛି । ଆଗକୁ ପାର୍ବଣ ଋତୁ ଥିବାରୁ ସମସ୍ତେ ମାସ୍କ ବ୍ୟବହାର କରନ୍ତୁ । କୋଭିଡ୍‌ ଗାଇଡଲାଇନ୍‌ ପାଳନ କରି ଆମେ କରୋନାକୁ ହରାଇ ପାରିବା । ଅନ୍ୟପଟେ ତୃତୀୟ ଲହରରେ ପ୍ରାୟ ୯୨ ହଜାର ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ସରକାର ଜରୁରିକାଳୀନ କୋଭିଡ୍‌ ପ୍ରତିକ୍ରିୟା ଯୋଜନା ଏନ୍‌ସିଆରପି-୨କୁ ମଞ୍ଜୁରୀ ଦେଇଥିବା ବେଳେ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ସାରିବାକୁ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଇସିଆରପି-୨ରେ ଡାଏଗ୍ନୋଷ୍ଟିକ୍‌, ଟେଲି ମେଡିସିନ୍‌, ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର, କୋଭିଡ୍‌ କେୟାର ସେଣ୍ଟର, ଶିଶୁଙ୍କ ପାଇଁ ଆଇସିୟୁ ଓ ଅକ୍ସଜେନ୍‌ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ତୃତୀୟ ଲହରରେ ଔଷଧ କିଣା ପାଇଁ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

Leave A Reply

Your email address will not be published.