ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା

0

ନୂଆଦିଲ୍ଲୀ : ଆସନ୍ତା ୪ ଦିନ ମଧ୍ୟରେ ଉତ୍ତର ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରବିବାର ସୁଦ୍ଧା ଉତ୍ତର ଭାରତ, ପୂର୍ବୋତ୍ତର ଭାରତ ଏବଂ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବ ଉତ୍ତର ପ୍ରଦେଶରେ ଏକ ଚକ୍ରବାତ ସୃଷ୍ଟି ହୋଇଛି । ଯାହା ଫଳରେ ଆଗାମୀ ୪ ଦିନ ପାଇଁ ପ୍ରବଳ ବର୍ଷା ହେବାନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତକାଲି ଅର୍ଥାତ ଅଗଷ୍ଟ ୧୧ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ରୁ ୧୩ ତାରିଖ ଯାଏଁ ଆସାମ, ମେଘାଳୟରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଏହା ବାଦ୍ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ୧୨ ଏବଂ ୧୩ ତାରିଖରେ ପ୍ରବଳ ବର୍ଷା ହେବ ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡରେ ମଧ୍ୟ ବ୍ୟାପକ ଭାବେ ବର୍ଷା ହୋଇପାରେ । ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ଭାରି ମାତ୍ରାରେ ବର୍ଷା ହେବ । ଚକ୍ରବାତ କାରଣରୁ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ଏବଂ ଅନ୍ୟ ଅଞ୍ଚଳଗୁଡିକରେ ସାଧାରଣ ବର୍ଷା ହେବ । କହିବାକୁ ଗଲେ ଓଡିଶାକୁ ସେଭଳି କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଝାଡଖଣ୍ଡ ଏବଂ ଉପ-ହିମାଳୟ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହୋଇଛି । ସେହିଭଳି ଛତିଶଗଡ, ମହାରାଷ୍ଟ୍ର, ଆଣ୍ଡାମାନ୍ ଓ ନିକୋବର, ଲାକ୍ଷାଦ୍ବୀପ, ପଞ୍ଜାବଳ ହରିୟାଣା, ରାଜସ୍ଥାନ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଓଡିଶା ଏବଂ ଗୁଜୁରାଟର ଅନେକ ସ୍ଥାନରେ ବର୍ଷା ହୋଇଛି ।

Leave A Reply

Your email address will not be published.